ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅନଶନରେ ବସିଲେ ଏମ.ଡ଼ି ମନଓ୍ବର ଅଲ୍ଲୀ
ଭୁବନେଶ୍ବର, ୨୦!୮: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅ, ନୂଆ ପାଠ୍ୟ ପୁସ୍ତକରେ ଭୁଲ୍ ବହି ସଂଶୋଧନ କରି ତୁରନ୍ତ ନୂଆ ବହି ଦିଅ, ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦିଅ, ଶିକ୍ଷା ପରେ ନିଯୁକ୍ତିର ଗ୍ୟାରେଣ୍ଟି ଦିଅ, ଖାଲି ପଡ଼ିଥିବା ଶିକ୍ଷକ ପଦବୀରେ ଯୁବପିଢୀଙ୍କୁ ନିଯୁକ୍ତି ଦିଅ, ନୂତନ ପାଠ୍ୟପୁସ୍ତକ ମୁଦ୍ରଣରେ ଖର୍ଚ୍ଚ ହୋଇଥିବା ୩୮୦ କୋଟି ଟଙ୍କା ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଫେରସ୍ତ କରନ୍ତୁ ଇତ୍ୟାଦି ଦାବୀରେ ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନଓ୍ବର ଅଲ୍ଲୀ ଆଜି ଠାରୁ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଲୋୟର ପିଏମଜିରେ ଅନଶନ ଓ ସତ୍ୟାଗ୍ରହରେ ବସିଛନ୍ତି। ନବନିର୍ମାଣ କୃଷକ ସଂଗଠନର ପ୍ରତିଷ୍ଠାତା ତଥା ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅନଶନ ସ୍ଥଳରେ ପହଞ୍ଚି ଗାନ୍ଧୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ପ୍ରେସ୍ ବିବୃତ୍ତିରେ କହିଲେ ଯେ, ପାଠ୍ୟପୁସ୍ତକ କେବଳ କାଗଜରେ ଛପା ତଥ୍ୟର ସମାହାର ନୁହେଁ, ଏହା ଏକ ପିଢ଼ିର ଚେତନା ଗଢ଼ିବାର ଉପକରଣ। ତେଣୁ ଏଥିରେ ଥିବା ପ୍ରତ୍ୟେକ ତଥ୍ୟ ଯାଞ୍ଚ, ନିରପେକ୍ଷ, ବୈଜ୍ଞାନିକ ଓ ଐତିହାସିକ ଭାବେ ପ୍ରମାଣିତ ହେବା ଦରକାର। ଯଦି ଜଣେ ଛାତ୍ର ନିଜ ପାଠ୍ୟପୁସ୍ତକରେ ଭୁଲ ତଥ୍ୟ ପଢ଼େ, ତେବେ ସେହି ଭୁଲ ଜ୍ଞାନର ଦାୟିତ୍ୱ କିଏ ନେବ ? ପାଠ୍ୟପୁସ୍ତକ ପ୍ରସ୍ତୁତିରେ ଶିକ୍ଷକ, ବିଷୟ ବିଶେଷଜ୍ଞ, ଭାଷାବିତ୍, ଇତିହାସବିତ୍ ଓ ଗବେଷକମାନଙ୍କର ସ୍ୱାଧୀନ ମତକୁ ଗୁରୁତ୍ୱ ଦିଆଯିବା ଆବଶ୍ୟକ। ନୂତନ ପାଠ୍ୟ ପୁସ୍ତକରେ ସମସ୍ତ ତ୍ରୁଟିକୁ ଗଣଶିକ୍ଷା ବିଭାଗ ତୁରନ୍ତ ସାର୍ବଜନୀନ ଭାବେ ଚିହ୍ନଟ ଓ ସଂଶୋଧନ କରି ଶ୍ରୀଘ୍ର ଛାତ୍ରଛାତ୍ରୀମାନଙ୍କୁ ନୂତନ ପୁସ୍ତକ ପ୍ରଦାନ କରନ୍ତୁ। ଭୁଲ ପାଠ୍ୟପୁସ୍ତକ ଦ୍ୱାରା ଭବିଷ୍ୟତ ପିଢୀକୁ ଭୁଲ ଜ୍ଞାନ ଦେବା ଅପରାଧ ସଙ୍ଗେ ସମାନ। ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯଦି ନିଜ ବିଭାଗକୁ ଠିକ୍ ଭାବେ ପରିଚାଳନା କରିପାରୁନାହାଁନ୍ତି ତେବେ, ମନ୍ତ୍ରୀ ନିଜେ ନୈତିକତା ଦୃଷ୍ଠିରୁ ଇସ୍ତଫା ଦେଇଦିଅନ୍ତୁ ନଚେତ୍ ମୁଖ୍ୟମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଗଣଶିକ୍ଷା ମନ୍ତ୍ରୀଙ୍କୁ ବରଖାସ୍ତ କରନ୍ତୁ ବୋଲି ଶ୍ରୀ କୁମାର କହିଥିଲେ।
ସିପିଆଇ(ଏମଏଲ୍) ଲିବରେସନର ସାଧାରଣ ସଂପାଦକ ଯୁଝିଷ୍ଠିର ମହାପାତ୍ର ଅନଶନ ସ୍ଥଳରେ ପହଞ୍ଚି ଯୁବଛାତ୍ର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଥିଲେ। ଶିକ୍ଷା ବ୍ୟବସ୍ଥାରେ ତ୍ରୁଟି ଓ ଦୁର୍ନୀତିକୁ କେବେ ବି ବରଦାସ୍ତ କରାଯିବନି ଏବଂ ନବନିର୍ମାଣ ଯୁବଛାତ୍ର ସଂଗଠନର ଅଂହିସକ ଶାନ୍ତିପୂର୍ଣ୍ଣ ଲଢ଼େଇକୁ ସିପିଆଇ(ଏମଏଲ୍) ଲିବରେସନର ପୂରା ସମର୍ଥନ ରହିଛି ବୋଲି କହିଥିଲେ।
ନବନିର୍ମାଣ ଯୁବଛାତ୍ର ସଂଗଠନର ରାଜ୍ୟ ସଂଯୋଜକ ଏମ.ଡ଼ି ମନଓ୍ବର ଅଲ୍ଲୀ କହିଥିଲେ ଯେ, ଆଜି ମୁଁ ଅନଶନ ଓ ସତ୍ୟାଗ୍ରହରେ ବସିଛି କେବଳ ଗୋଟିଏ ପାଠ୍ୟପୁସ୍ତକର କିଛି ତ୍ରୁଟିକୁ ନେଇ ନୁହେଁ; ଏହା ଆମ ଶିକ୍ଷା ବ୍ୟବସ୍ଥାର ଉତ୍ତରଦାୟିତ୍ବ, ପାରଦର୍ଶିତା ଭବିଷ୍ୟତ ପିଢୀର ଅଧିକାରର ପ୍ରଶ୍ନ। ଭୁଲ୍ ବହି ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜ୍ଞାନ ଓ ଚିନ୍ତନଶକ୍ତି ଉପରେ ପ୍ରଭାବ ପକାଇଥାଏ। ଶିକ୍ଷା କ୍ଷେତ୍ରରେ ଅବହେଳା କିମ୍ବା ଦାୟିତ୍ୱହୀନତାକୁ ଆମେ ନିରବ ଭାବେ ଗ୍ରହଣ କରିପାରିବୁ ନାହିଁ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏହା ଏକ ଅହିଂସାତ୍ମକ ସଂଗ୍ରାମ। ମୁଁ ସରକାରଙ୍କୁ ଅନୁରୋଧ କରୁଛି, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦିଅନ୍ତୁ, ନଚେତ୍ ମୁଖ୍ୟମନ୍ତ୍ରୀ ମଣ୍ଡଳରୁ ତାଙ୍କୁ ବରଖାସ୍ତ କରି ସମାଧାନର ପଥ ଖୋଲନ୍ତୁ। ଯେପର୍ଯ୍ୟନ୍ତ ସରକାର ଆମ ଦାବୀ ଗ୍ରହଣ କରିନାହାଁନ୍ତି, ସେପର୍ଯ୍ୟନ୍ତ ଆମର ସ୍ୱର ଗଣତାନ୍ତ୍ରିକ ଓ ଅହିଂସା ପଦ୍ଧତିରେ ଜାରି ରହିବ। ଆଜିର ଅନଶନରେ ନବନିର୍ମାଣ କୃଷକ ସଂଗଠନର ଉପଦେଷ୍ଟା ଡା. କୁଳମଣୀ, ରଶ୍ମି ରଂଜନ ସ୍ବାଇଁ, ମଧୁମିତା ସାମଲ, ବାଲେଶ୍ବର ସଭାପତି ରଣଜିତ୍ ପଟ୍ଟନାୟକ, ଭାବଗ୍ରାହୀ ମଲ୍ଲିକ, ଏମ.ଡ଼ି ମନୁ, ଭୁବନେଶ୍ବର ସଭାପତି ଅମିତ ଜେନା, ଭଦ୍ରକ ସଭାପତି ଜାହିର ଖାନ, ଗଣେଷ ବେହେରା, ଏସ. କେ ହେଦାଇ, ଜଦୁମଣୀ, ଅକ୍ଷୟ ଜେନା, ଜୟନ୍ତ ଗୋସ୍ବାମୀ, ଜୟନ୍ତୀ ଜେନା, ନିଶାନ୍ତ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।
