ମୋର ସଂସଦୀୟ କ୍ଷେତ୍ରର ପ୍ରତ୍ୟେକ କାମର ଉତ୍ତରଦାୟିତ୍ୱ ନେବା ମୋର କର୍ତ୍ତବ୍ୟ: ଅପରାଜିତା
ଭୁବନେଶ୍ୱର, ତା. ୧୯.୮: ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ମୋର କର୍ମଭୂମି। ଏଠାକାର ବାସିନ୍ଦାମାନେ ଲଗାତାର ଭାବେ ମୋ ଉପରେ ଭରସା କରିଛନ୍ତି। ତେଣୁ ସେମାନଙ୍କ ପାଇଁ ମୋ ସଂସଦୀୟ କ୍ଷେତ୍ରର ପ୍ରତ୍ୟେକ କାମର ଉତ୍ତରଦାୟିତ୍ୱ ନେବା ମୋର କର୍ତ୍ତବ୍ୟ। କେବଳ ପ୍ରସ୍ତାବ ଦେବା ନୁହେଁ, ପ୍ରସ୍ତାବ ପରେ ପ୍ରକଳ୍ପର ସଠିକ୍ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ମୁଁ ସଂକଳ୍ପବଦ୍ଧ। ଗତ ଅଗଷ୍ଟ ୨୦୨୪ ମସିହାରୁ ଜୁଲାଇ ୨୦୨୬ ମସିହା ମଧ୍ୟରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ୧୮ଟି ପ୍ରସ୍ତାବର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଏହିଭଳି ଭାବେ ନିଜର ପ୍ରତିକ୍ରିୟା ରଖିଛନ୍ତି। ବୁଧବାର ସନ୍ଧ୍ୟାରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀଙ୍କ ସହ ସଂସଦୀୟ କ୍ଷେତ୍ରର ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ନେଇ ଆଲୋଚନା କରିଥିଲେ। ପୂର୍ବରୁ ଦିଆଯାଇଥିବା ୧୮ଟି ପ୍ରସ୍ତାବ ମଧ୍ୟରୁ ୧୧ଟି ପ୍ରକଳ୍ପର କାର୍ଯ୍ୟ ଚାଲିଥିବାରୁ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ ଅନ୍ୟ ୭ଟି ପ୍ରକଳ୍ପର ସ୍ଥିତି ଓ ଅଗ୍ରଗତି ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ।
ଏଠାରେ ସୂଚନାଯୋଗ୍ୟ ଯେ, ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି—
୧- ଭୁବନେଶ୍ୱରରେ ନେସନାଲ୍ ଗ୍ୟାଲେରୀ ଅଫ୍ ମଡର୍ନ ଆର୍ଟ (NGMA)ର ଶାଖା ପ୍ରତିଷ୍ଠା:
ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତାବଟି ବିଚାର କରାଯାଇ ପ୍ରାରମ୍ଭିକ ପ୍ରକ୍ରିୟା ସମ୍ପନ୍ନ ହେବା ସହ ପ୍ରକଳ୍ପ ପାଇଁ ଉପଯୁକ୍ତ ସରକାରୀ ଜମି ଚିହ୍ନଟ କରି NGMAକୁ ପ୍ରଦାନ କରିବାକୁ କୁହାଯାଇଛି। ପ୍ରକଳ୍ପର ଆନୁମାନିକ ବ୍ୟୟ ୬୩୦ କୋଟି ଟଙ୍କା ବୋଲି ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଜଣାଯାଇଛି। ଖଣ୍ଡଗିରି ନିକଟସ୍ଥ OHHDPC କ୍ୟାମ୍ପସକୁ ଅସ୍ଥାୟୀ ଭାବେ NGMAର ପୂର୍ବାଞ୍ଚଳ କେନ୍ଦ୍ର ପାଇଁ ଉପଯୁକ୍ତ ସ୍ଥାନ ବୋଲି ଜଣାଇ ଉକ୍ତ କ୍ୟାମ୍ପସକୁ NGMAକୁ ଅସ୍ଥାୟୀ ଭାବେ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।
ଖୁବଶୀଘ୍ର ଏହାର ଭବ୍ୟ ଉଦ୍ଘାଟନ କରାଯିବ। ସେଠାରେ ମକବୁଲ୍ ଫିଦା ହୁସେନ୍, ରାଜା ରବି ବର୍ମା ଓ ସୟଦ୍ ହାଇଦର୍ ରଜାଙ୍କ ଭଳି ପ୍ରତିଷ୍ଠିତ କଳାକାରଙ୍କ କଳାକୃତି ସ୍ଥାନ ପାଇବ। ଏହି କଳାକୃତିଗୁଡ଼ିକର ଆନୁମାନିକ ସାମୂହିକ ମୂଲ୍ୟ ପ୍ରାୟ ୧,୦୦୦ କୋଟି ଟଙ୍କା ହେବ ବୋଲି ସୂଚନା ରହିଛି।
୨- ପଳାଶୁଣୀ-ପାଣ୍ଡରାରେ ଆଧୁନିକ ହୋଲସେଲ୍ ମାଛ ମାର୍କେଟ୍:
ଆଧୁନିକ ହୋଲସେଲ୍ ମାଛ ମାର୍କେଟ୍ ପାଇଁ DPR ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇ କାର୍ଯ୍ୟ ଚାଲିଛି। ପାଞ୍ଚ ଏକର ଜମିରେ ୫୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପ୍ରକଳ୍ପର କାର୍ଯ୍ୟ ଖୁବଶୀଘ୍ର ସମ୍ପନ୍ନ ହେବ।
୩- ଜଟଣୀ ବିଞ୍ଝାଗିରିରେ Central Research Institute of Yoga and Naturopathy (CRIYN) ପ୍ରତିଷ୍ଠା:
CCRYN ସହ ଆଲୋଚନା ପରେ ମୌଜା ଅଲକରରେ ୧୩ ଏକର ଜମି ଚିହ୍ନଟ କରାଯାଇଛି। ୯୪ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଖୁବଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ।
୪- ମା’ ଉଗ୍ରତାରା ମନ୍ଦିରର ବିକାଶ:
ମା’ ଉଗ୍ରତାରା ମନ୍ଦିରର ବିକାଶ ପାଇଁ ୮ ଏକର ଜମିରେ ୩୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟୟ ଅଟକଳରେ ଦ୍ରୁତଗତିରେ କାର୍ଯ୍ୟ ଚାଲିଛି, ଯାହା ଖୁବଶୀଘ୍ର ସମ୍ପନ୍ନ ହେବ।
୫- ରାଜୁଆ Diversion Weir Project:
ରାଜୁଆ Diversion Weir Projectର କାର୍ଯ୍ୟ ସମାପ୍ତ ହୋଇଛି। ଦୟା ନଦୀର ପାଣ୍ଡିଆବିଲି ବିଭାଜନ ସ୍ଥାନରେ ପ୍ରତିବର୍ଷ ଅସ୍ଥାୟୀ Cross-bund ନିର୍ମାଣ କରାଯାଏ। ଏହାର ସ୍ଥାୟୀ ସମାଧାନ ପାଇଁ ବିଭାଜନ ସ୍ଥାନର ୬୦ ମିଟର ତଳଭାଗରେ ଦୟା ନଦୀ ଉପରେ ଏକ Diversion Weir ପ୍ରସ୍ତାବ ଦିଆଯାଇଥିଲା। ଏହାର ସର୍ଭେ ଓ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି।
୬- ସହିଦନଗର ହାଟ:
ସହିଦନଗର ହାଟ ପାଇଁ ୨ ଏକର ସରକାରୀ ଜମି ଆବଣ୍ଟନର ପ୍ରସ୍ତାବ ରହିଛି। PPP Modeରେ ଆଧୁନିକ Urban Haat ଓ Integrated Commercial-Public Destination ବିକାଶ କରାଯିବ। ଏଥିରେ ଅନେକ ପ୍ରକାରର ସୁବିଧା ରହିବ।
୭- ଭୁବନେଶ୍ୱରରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ରାସ୍ତା ନିର୍ମାଣ:
ଭୁବନେଶ୍ୱରରେ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୩୭ଟି ରାସ୍ତା କାମର ଯୋଜନା ରହିଛି। ଏକାମ୍ର କାନନଠାରୁ ଇନ୍ଫୋସିସ୍ ପର୍ଯ୍ୟନ୍ତ କାମ ସରିଥିବା ବେଳେ ଜୟଦେବ ବିହାରଠାରୁ ନନ୍ଦନକାନନ ରାସ୍ତାର କାମ ଆରମ୍ଭ ହୋଇଯାଇଛି।
୮- ଖୋର୍ଦ୍ଧା ନୂତନ ବସ୍ ଷ୍ଟାଣ୍ଡ:
୫ ଏକର ଜମିରେ ୧୬୫ କୋଟି ଟଙ୍କା ବ୍ୟୟ ଅଟକଳରେ ଖୋର୍ଦ୍ଧା ନୂତନ ବସ୍ ଷ୍ଟାଣ୍ଡ ନିର୍ମାଣ ପାଇଁ ଟେଣ୍ଡର ହେବ।
ଏଥିସହିତ ଆସନ୍ତା ୨୦୨୭ ସୁଦ୍ଧା ବୋଲଗଡ଼-ବେଗୁନିଆକୁ NAC ମାନ୍ୟତା ପ୍ରଦାନ, ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟର ବିକାଶ ପାଇଁ ୧୨ କୋଟି ଟଙ୍କା ବ୍ୟୟ ଅଟକଳ ମଧ୍ୟରୁ ୪ କୋଟି ଟଙ୍କାର କାର୍ଯ୍ୟ ଆରମ୍ଭ, ଜଟଣୀ ମୁନିସିପାଲିଟିର ଉଠାଦୋକାନୀମାନଙ୍କ ପାଇଁ ୮ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ଭେଣ୍ଡିଂ ଜୋନ୍ ଆଦି ପାଇଁ ସରକାରଙ୍କ ସହଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ତେବେ ଅନ୍ୟ କିଛି ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିନଥିବା ବେଳେ, ତାହାର କାରଣ ଓ ନିରାକରଣ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହା ମଧ୍ୟରେ ରହିଛି ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପର କାର୍ଯ୍ୟାନ୍ୱୟନ, କଳିଙ୍ଗ ହସ୍ପିଟାଲକୁ ୨,୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲରେ ପରିଣତ କରିବା ପାଇଁ ଜମି ଅଧିଗ୍ରହଣର ବିଚାର, ପ୍ରାଚୀ ନଦୀର ପୁନରୁଦ୍ଧାର, କଳିଙ୍ଗ ଷ୍ଟାଡିୟମ୍ ନିକଟସ୍ଥ ବିଶ୍ୱକର୍ମା ମନ୍ଦିର ଜମି ପାଇଁ ଆବଶ୍ୟକୀୟ କାର୍ଯ୍ୟ କରିବା, ୟୁନିଟ୍-୮ ନୟାପଲ୍ଲୀରେ କମ୍ୟୁନିଟି ପାର୍କ ନିର୍ମାଣ, ଉତ୍ତର ଭୁବନେଶ୍ୱରର ସାମପୁର ମୌଜାର ହାଲ୍ ROR କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସହିତ ଖୋର୍ଦ୍ଧା, ବେଗୁନିଆ, ଜଟଣୀ, ପିପିଲି ଓ ଡେଲାଙ୍ଗ ତହସିଲ ଅଞ୍ଚଳରେ ଏକରାଜାତ ମହଲ ଅଧୀନରେ ଥିବା ରୟତମାନଙ୍କ ସପକ୍ଷରେ ସଂଶୋଧିତ ROR ଆଦି ପାଇଁ ଆଲୋଚନା ହୋଇଥିଲା।
ମୁଖ୍ୟମନ୍ତ୍ରୀ ପ୍ରାୟତଃ ସମସ୍ତ ପ୍ରକଳ୍ପ ନେଇ ଆଲୋଚନା କରିବା ସହିତ ଏହାର ଅଗ୍ରଗତି ବାବଦରେ ଜଣାଇଥିଲେ। ଯଥାଶୀଘ୍ର ଏସବୁ ଲୋକାଭିମୁଖୀ କାର୍ଯ୍ୟ ପାଇଁ ଅନୁମୋଦନ ନେଇ ସକାରାତ୍ମକ ଆଲୋଚନା ହୋଇଥିଲା। ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ସାମଗ୍ରିକ ବିକାଶ, ଜନସାଧାରଣଙ୍କୁ ଉନ୍ନତ ସୁବିଧା ପ୍ରଦାନ ଏବଂ ସାଧାରଣ ଲୋକଙ୍କ ସମସ୍ୟାର ସମାଧାନକୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ଏହି ଦିଗରେ ସେ ନିରନ୍ତର ଭାବେ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ ଓ ସମନ୍ୱୟ ରଖିଆସୁଛନ୍ତି। ଏଥିସହିତ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ବ୍ୟକ୍ତିଗତ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଏହି ପଦକ୍ଷେପଗୁଡ଼ିକ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରର ବିକାଶକୁ ଆହୁରି ଗତିଶୀଳ କରିବା ସହିତ ଜନସାଧାରଣଙ୍କୁ ଉନ୍ନତ ସୁବିଧା ଓ ସେବା ପ୍ରଦାନରେ ସହାୟକ ହେବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।
