ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଲା ଓଡିଶା ଅମଲା ସଂଘ
ଭୁବନେଶ୍ୱର, ୧୪.୦୮: ଓଡିଶା ଅମଲା ସଂଘ ତରଫରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ୍ ଅର୍ପଣ କରାଯାଇଛି । ପୁରୁଣା ଥଇଥାନ ନୀତି ଅନୁସାରେ ରାଜ୍ୟ ସରକାରୀ କର୍ମଚାରୀ ମୃତ୍ୟୁ ବରଣ କରୁଥିଲେ ସେମାନଙ୍କ ପରିବାରର ଲୋକ ଅତ୍ୟନ୍ତ ଦୁଃଖ ଓ କଷ୍ଟରେ କାଳାତିପାତ କରୁଥିଲେ । ସେମାନଙ୍କ ଥଇଥାନ ଏବଂ ଏ ସଂକ୍ରାନ୍ତୀୟ ଦାବିକୁ ବିଚାର କରିବାକୁ ଓଡିଶା ଅମଲା ସଂଘ ତରଫରୁ ପ୍ରସ୍ତାବ ଦିଆ ଯାଇଥିଲା । ରାଜ୍ୟ ସରକାର ଉକ୍ତ ପ୍ରସ୍ତାବ ଗ୍ରହଣ କରିଥିବାରୁ, ରାଜ୍ୟ ସଂଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭା ସାଂସଦ ମାନ୍ୟବର ସମସ୍ତ ମନ୍ତ୍ରୀମଣ୍ଡଳ ଏବଂ ବରେଣ୍ୟ ମୁଖ୍ୟ ଶାସନ ସଚିବ ମହୋଦୟାଙ୍କୁ ଆନ୍ତରିକ ଶୁଭେଚ୍ଛା ପ୍ରଦାନ କରାଯାଇଛି । ଉକ୍ତ ପରିବର୍ତ୍ତିତ ନିଷ୍ପତ୍ତି ଅନୁଯାୟୀ ମୃତ୍ୟୁ ବରଣ କରିଥିବା ସରକାରୀ କର୍ମଚାରୀଙ୍କ ପରିବାରର ଦୁଃଖ ଦୂର ହୋଇଛି। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ସମସ୍ତ ସରକାରୀ କର୍ମଚାରୀଙ୍କ ପରିବାର ନିମନ୍ତେ ଆଶୀର୍ବାଦ ସାବ୍ୟସ୍ତ ହୋଇଛି l ରାଜ୍ୟ ସରକାର ଓଡିଶା ଅମଲା ସଂଘର ଅନ୍ୟାନ୍ୟ ଦାବି ପୂରଣ ନିମନ୍ତେ ସଂଘ ପକ୍ଷରୁ ଅନୁରୋଧ କରାଯାଇଛି । ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ କନିଷ୍ଠ ସହାୟକ ପଦବୀ ପରିବର୍ତ୍ତନ କରାଯାଇ ଲେବୁଲ୍ ୯ ସହିତ ନୋସନାଲ ବେନିଫିଟ ପ୍ରଦାନ, ସମସ୍ତ ବର୍ଗର କର୍ମଚାରୀ ମାନଙ୍କ ଭଳି ଜିଲ୍ଲା ଅମଲା ମାନଙ୍କ ନିମନ୍ତେ ଗୋଟିଏ କ୍ୟାଡର ଗଠନ, ପ୍ରୋମୋସନ ପୋଷ୍ଟ ବୃଦ୍ଧି, ସମସ୍ତ ସରକାରୀ କର୍ମଚାରୀ ମାନଙ୍କ ନିମନ୍ତେ ସ୍ୱାସ୍ଥ୍ୟ ବୀମା ସୁବିଧା ପ୍ରଦାନ କରିବାକୁ ଦାବି ଜଣାଇଛନ୍ତି ।
