ଚତୁର୍ଥ ଦିନରେ ଜମୁଛି କଟକ ବାଲିଯାତ୍ରା, ଆମିଷ ଖାଦ୍ୟର ମଜା ସାଙ୍ଗକୁ ନାଚଗୀତର ଧୁମ୍
କଟକ: ଉଠୁଚି ପଡ଼ୁଛି କଟକ ଐତିହାସିକ ବାଲିଯାତ୍ରା ପଡ଼ିଆ । ଆଜି ଚତୁର୍ଥ ଦିବସରେ ପହଞ୍ଚିଛି ଏହି ସର୍ବ ବୃହତ୍ ମୁକ୍ତାକାଶ ଯାତ୍ରା । ବେଶ୍ ଜମୁଛି ଖାଇବା ଖୁଆଇବାର ମାହୋଲ୍ । ଆଜି ଆମିଷ ବାର, ସଞ୍ଜ ନଉଁ ନଉଁ ବେଶ୍ ଭିଡ ଜମିଲାଣି ପଡ଼ିଆରେ । ବାଲିଯାତ୍ରା ପଡ଼ିଆର ଉଭୟ ଗଣକବି ବୈଷ୍ଣବ ପାଣି ମଞ୍ଚ ଓ ଅକ୍ଷୟ ମହାନ୍ତିଙ୍କ ମଞ୍ଚ ନିକଟରେ ଦର୍ଶକଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବେଶ ଉପଭୋଗ କରୁଛନ୍ତି । ଦେଶ ଓ ରାଜ୍ୟ ର ଅନୁକୋଣ ରୁ ଆସିଥିବା କଳାକାର ମାନେ ନାଚ ଗୀତର ଅତି ସୁନ୍ଦର କଳା ପ୍ରଦର୍ଶନ କରୁଛନ୍ତି । ପାରମ୍ପରିକ ଲୋକନୃତ୍ୟଠାରୁ ଆରମ୍ଭ କରି ଆଧୁନିକ ନୃତ୍ୟ ଓ ସଙ୍ଗୀତ ପର୍ଯ୍ୟନ୍ତ ବିଭିନ୍ନ ପରିବେଷଣ ଦର୍ଶକଙ୍କୁ ମନୋରଞ୍ଜନର ଭରପୂର ଖୋରାକ ଯୋଗାଉଛି ।
କଳାକାରଙ୍କ ତାଳେ ତାଳେ ଝୁମୁଛନ୍ତି ଦର୍ଶକ । ମଞ୍ଚ ନିକଟରେ ଦର୍ଶକଙ୍କ ଉତ୍ସାହ ଓ କରତାଳିରେ ମୁଖରିତ ହେଉଛି ପରିବେଶ । ବାଣିଜ୍ୟ, ଖାଦ୍ୟ, କଳା, ସଂସ୍କୃତି ଓ ମନୋରଞ୍ଜନର ଅପୂର୍ବ ସମନ୍ୱୟ ହେଉଛି କଟକ ବାଲିଯାତ୍ରା । ପ୍ରତିଦିନ ଏଠାକୁ ଆସୁଥିବା ହଜାର ହଜାର ଲୋକଙ୍କ ପାଇଁ ଏହା ପାଲଟିଛି ଆନନ୍ଦ ଓ ଉତ୍ସବର ଏକ ବଡ଼ ମଞ୍ଚ । ଚତୁର୍ଥ ଦିନରେ ଆମିଷ ଖାଦ୍ୟର ଆକର୍ଷଣ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମର ମନୋରମ ପରିବେଷଣ ବାଲିଯାତ୍ରାର ଉତ୍ସାହକୁ ଆହୁରି ଦ୍ୱିଗୁଣିତ କରିଛି ।
