ମୃତ କର୍ମଚାରୀଙ୍କ ନାଁରେ ବିଲ୍ କରି ଠକେଇ, କୋଟିଏ ୨୩ ଲକ୍ଷ ହଡ଼ପ; ବରିଷ୍ଠ ସହାୟକ ଗିରଫ

ଅନୁଗୋଳ: ସରକାରୀ ପାଣ୍ଠିରୁ ୧ କୋଟି ୨୩ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ ଅଭିଯୋଗରେ ବରିଷ୍ଠ ସହାୟକ ଗିରଫ । ସାତକୋଶିଆ ବନ୍ୟପ୍ରାଣୀ ଡିଭିଜନର ବରିଷ୍ଠ ସହାୟକ ଅଜୟ କୁମାର ନାଏକଙ୍କୁ ଗିରଫ କଲା ଭିଜିଲାନ୍ସ । ଗତ ଅକ୍ଟୋବରରୁ ସେ ଫେରାର ଥିଲେ । ଏଚ୍ ଆର୍ ଏମ୍ ଏସ୍ ପୋର୍ଟାଲରେ ଜାଲ୍ ବିଲ୍ ପ୍ରସ୍ତୁତ କରି ଅଜୟ ନାୟକ୧ କୋଟି ୨୩ ଲକ୍ଷ ୫୨ ହଜାର ୫୪୭ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା ।

ଭିଜିଲାନ୍ସ ସୂଚନା ଅନୁଯାୟୀ, ୨୦୧୯ ଜାନୁଆରୀ ୧ରୁ ୨୦୨୫ ଜୁନ୍ ୩୦ ମଧ୍ୟରେ ଅଭିଯୁକ୍ତ ଏହି ଅର୍ଥ ହଡ଼ପ କରିଥିଲେ । ଅବସରପ୍ରାପ୍ତ ଓ ମୃତ କର୍ମଚାରୀଙ୍କ ନାଁରେ ଅବ୍ୟବହୃତ ଛୁଟି ଦରମା ଓ ବକେୟା ଦରମା ବାବଦରେ ଜାଲ୍ ଦାବି ପ୍ରସ୍ତୁତ କରି ଏଚଆରଏମ୍ଏସ୍ ପୋର୍ଟାଲ ମାଧ୍ୟମରେ ଟଙ୍କା ଉଠାଉଥିଲେ ।

ପରେ ଟ୍ରେଜେରି ମାଧ୍ୟମରେ ଏନଇଏଫଟି କରି ଉକ୍ତ ଅର୍ଥକୁ ନିଜ ବ୍ୟାଙ୍କ ଖାତା ସମେତ ଅନ୍ୟ ଦୁଇ ସହଯୋଗୀଙ୍କ ଖାତାକୁ ପଠାଉଥିଲେ । ଭିଜିଲାନ୍ସ ତାଙ୍କ ଗତିବିଧି ଉପରେ ନଜର ରଖି ଗତକାଲି ରାତିରେ ଅନୁଗୋଳ ସହରରେ ଏକ କାର୍ ରେ ଘରକୁ ଯାଉଥିବାବେଳେ ତାଙ୍କୁ ଗିରଫ କରିଛି । ଏହି ଘଟଣାରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇଛି । ଦୁର୍ନୀତି ନିବାରଣ ଆଇନ ଓ ବିଏନ୍ ଏସ୍ ର ବିଭିନ୍ନ ଧାରାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *