ସମ୍ବଲପୁରୀ ପୋଷାକରେ ରାମ୍ପ୍‌ରେ ଚାଲିଲେ କିଟ୍‌ ଛାତ୍ରଛାତ୍ରୀ

ଭୁବନେଶ୍ୱର :  ସମ୍ବଲପୁରୀ ପୋଷାକରେ ରାମ୍ପ୍‌ରେ ଚାଲିଲେ କିଟ୍‌ର ଛାତ୍ରଛାତ୍ରୀ ।  ନିଜେ ପୋଷାକର ଡିଜାଇନ୍‌ ପ୍ରସ୍ତୁତ କରିବା ସହ ମଡେଲ୍‌ ସାଜି ନିଜ ପ୍ରତିଭାର ପରିଚୟ ଦେଲେ। ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ‘ଭୁବନେଶ୍ୱର ଟାଇମ୍ସ ଫ୍ୟାଶନ୍‌ ୱିକ୍‌ ୨୦୨୬’ର ପ୍ରଥମ ଦିନରେ କିଟ୍‌ ସ୍କୁଲ୍‌ ଅଫ୍‌ ଫ୍ୟାଶନ୍‌ ଟେକ୍ନୋଲୋଜିର ଛାତ୍ରଛାତ୍ରୀ ନିଜର ସୃଜନଶୀଳତା ଓ ଫ୍ୟାଶନ୍‌ ଡିଜାଇନ୍‌ର ଝଲକ ଦେଖାଇଥିଲେ ।

ଟାଇମ୍ସ ଅଫ୍‌ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି ଫ୍ୟାଶନ୍‌ ୱିକ୍‌ ଏସ୍‌ଏନ୍‌ଏମ୍‌ ଗ୍ରୁପ୍‌ ଅଫ୍‌ କମ୍ପାନିଜ୍‌ ଓ କିଟ୍‌ ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗରେ ଅନୁଷ୍ଠିତ ହେଉଛି। ପ୍ରଥମ ଦିନରେ ବିଭିନ୍ନ ଫ୍ୟାଶନ୍‌ ବ୍ରାଣ୍ଡ୍‌ ଓ ଡିଜାଇନର୍‌ଙ୍କ ପକ୍ଷରୁ ମୋଟ ୬ଟି ଫ୍ୟାଶନ୍‌ ଶୋ’ ଆୟୋଜିତ ହୋଇଥିଲା। ଏଥିରେ କିଟ୍‌ ସ୍କୁଲ୍‌ ଅଫ୍‌ ଫ୍ୟାଶନ୍‌ ଟେକ୍ନୋଲୋଜି ସମେତ ଅନ୍ୟ କମ୍ପାନି ମଧ୍ୟ ସାମିଲ ହୋଇ ପୋଷାକ ପ୍ରଦର୍ଶିତ କରିଥିଲେ।

ଫ୍ୟାଶନ୍‌ ୱିକ୍‌ରେ ଆଧୁନିକ ପୋଷାକ ଶୈଳୀ, ନୂଆ ଫ୍ୟାଶନ୍‌ ଟ୍ରେଣ୍ଡ୍‌ ଓ ଡିଜାଇନର୍‌ ପୋଷାକର ବିଭିନ୍ନ ରୂପ ଦେଖିବାକୁ ମିଳିଥିଲା। ପାରମ୍ପରିକ ହସ୍ତତନ୍ତ ଇକତ୍‌ କପଡ଼ାକୁ ଆଧୁନିକ ଇଣ୍ଡୋ-ୱେଷ୍ଟର୍ଣ୍ଣ ପୋଷାକ ଶୈଳୀରେ ଉପସ୍ଥାପନ କରି ଛାତ୍ରଛାତ୍ରୀମାନେ ଓଡ଼ିଶାର ବୟନ ପରମ୍ପରାକୁ ନୂଆ ରୂପ ଦେଇଥିଲେ। ପାରମ୍ପରିକ ଇକତ୍‌କୁ କେବଳ ପାରମ୍ପରିକ ପୋଷାକ ମଧ୍ୟରେ ସୀମିତ ନ ରଖି ଆଧୁନିକ ସହରୀ ଜୀବନଶୈଳୀର ଅଂଶ କରିବା ଏହି ସଂଗ୍ରହର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

Spread the love