ଝାଡ଼ଖଣ୍ଡ ବନ୍ଦ : ରାଞ୍ଚିରେ ଜଳିଲା ଟାୟାର, ଶତାଧିକ ବିକ୍ଷୋଭକାରୀ ଅଟକ

ରାଞ୍ଚି,୧୧ା୮ : ଝାଡ଼ଖଣ୍ଡରେ ଚାକିରି ଆଶାୟୀଙ୍କ ଉପରେ ହୋଇଥିବା ପୁଲିସ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ମଙ୍ଗଳବାର ବିଜେପିର ବନ୍ଦ ପାଳନ ଯୋଗୁ ରାଜ୍ୟରେ ଜନଜୀବନ ଚଳାଚଳ ବ୍ୟାହତ ହୋଇଛି । ରାଜଧାନୀ ରାଞ୍ଚି ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଶତାଧିକ କର୍ମୀଙ୍କୁ ପୁଲିସ ଅଟକ ରଖିଛି । ଆଜି ସକାଳୁ ରାଞ୍ଚିର କିଶୋରଗଞ୍ଜ, ଅର୍ଗୋରା ଏବଂ କାଙ୍କେ ଅଞ୍ଚଳରେ ବିଜେପି କର୍ମୀମାନେ ରାସ୍ତା ଅବରୋଧ କରିଥିଲେ । ଅନେକ ଜାଗାରେ ବିକ୍ଷୋଭକାରୀମାନେ ଟାୟାର ଜାଳି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ । ଏହାଦ୍ୱାରା ଯାତାୟାତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଥିଲା । ସେହିପରି ରାମଗଡ଼ ଜିଲ୍ଲାରେ ଶତାଧିକ ବିଜେପି କର୍ମୀ ରାଞ୍ଚି-ପାଟନା ଜାତୀୟ ରାଜପଥ ୩୩ କୁ ପ୍ରାୟ ତିନି ଘଣ୍ଟା ଧରି ଅବରୋଧ କରି ରଖିଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନର ଲମ୍ବା ଲାଇନ୍ ଲାଗିଥିଲା । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର କର୍ମୀମାନେ ବିଧାନସଭା ଅଭିମୁଖେ ଶୋଭାଯାତ୍ରା କରୁଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା । ଏହି ସମୟରେ ପୁଲିସ ଓ ବିକ୍ଷୋଭକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କିଛି ଆନ୍ଦୋଳନକାରୀ ପୁଲିସ ଭ୍ୟାନ ଉପରକୁ ଚଢ଼ିଯାଇଥିବା ବେଳେ ଅନ୍ୟ କେତେକ ରାସ୍ତାରେ ଶୋଇ ରହି ପ୍ରତିବାଦ ଜଣାଇଥିଲେ । ଏହାପରେ ପୁଲିସ ସେମାନଙ୍କୁ ଭ୍ୟାନରେ ଉଠାଇ ନେଇଥିଲା । ଆଜିର ବନ୍ଦ ଯୋଗୁଁ ରାଜ୍ୟର ଅଧିକାଂଶ ସ୍କୁଲ ଓ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିଲା । କେବଳ ଜରୁରୀକାଳୀନ ସେବାକୁ ବନ୍ଦରୁ ମୁକ୍ତ ରଖାଯାଇଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ବେଳେ ପ୍ରମୁଖ ସ୍ଥାନମାନଙ୍କରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।
ସୂଚନାଯୋଗ୍ୟ, ସୋମବାର ଜେପିଏସ୍‌ସି ଏବଂ ଜେଏସ୍‌ଏସ୍‌ସି ପରୀକ୍ଷାରେ ହୋଇଥିବା ଅନିୟମିତତା ଓ ପ୍ରଶ୍ନପତ୍ର ଲିକ ଅଭିଯୋଗରେ ହଜାର ହଜାର ଛାତ୍ରଛାତ୍ରୀ ବିଧାନସଭା ଘେରଉ ପାଇଁ ଯାଉଥିଲେ । ଏହି ସମୟରେ ପୁଲିସ ସେମାନଙ୍କ ଉପରେ ପାଣି କମାଣ, ଲୁହବୁହା ଗ୍ୟାସ ଏବଂ ଲାଠିଚାଳନା କରିଥିଲା, ଯେଉଁଥିରେ ୧୪ ଜଣ ପୁଲିସ କର୍ମଚାରୀଙ୍କ ସମେତ ଅନେକ ଛାତ୍ରଛାତ୍ରୀ ଆହତ ହୋଇଥିଲେ । ୯ ଦିନ ଧରି ଅନଶନରେ ଥିବା ଛାତ୍ରଛାତ୍ରୀ ନେତା ଦେବେନ୍ଦ୍ର ନାଥ ମାହତୋଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବିଜେପି ରାଜ୍ୟ ସଭାପତି ଆଦିତ୍ୟ ସାହୁ ହେମନ୍ତ ସୋରେନ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ସରକାର ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ କରିବା ପରିବର୍ତ୍ତେ ସେମାନଙ୍କ ଉପରେ ଅତ୍ୟାଚାର କରୁଛନ୍ତି । ଅନ୍ୟପଟେ, ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ଏହାକୁ ଏକ ଅଣ-ରାଜନୈତିକ ଆନ୍ଦୋଳନ ବୋଲି କହଛନ୍ତି । ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି । ଛାତ୍ରଛାତ୍ରୀ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ସିବିଆଇ ତଦନ୍ତ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *