୧୦ -୨୦ ଟଙ୍କିଆ ନୋଟ ହେବ ପ୍ଲାଷ୍ଟିକ୍
ନୂଆଦିଲ୍ଲୀ,୧୧ା୮ : କେନ୍ଦ୍ର ସରକାର ୧୦ ଏବଂ ୨୦ ଟଙ୍କିଆ ମୂଲ୍ୟର ନୂତନ ପଲିମର (ପ୍ଲାଷ୍ଟିକ୍) ନୋଟ୍ ପ୍ରଚଳନକୁ ଅନୁମୋଦନ କରିଛନ୍ତି। ଏଥରେ ୧୦ ଓ ୨୦ ଟଙ୍କିଆ ପଲିମର ନୋଟ୍ ଫିଲ୍ଡ ଟ୍ରାଏଲ୍(ପରୀକ୍ଷା ମୂଳକ ପ୍ରଚଳନ) ପାଇଁ ମଞ୍ଜୁର କରାଯାଇଛି। ପ୍ରତ୍ୟେକ ନୋଟ୍ ମୂଲ୍ୟର ୧୦୦ କୋଟି ପଲିମର କିମ୍ବା ପ୍ଲାଷ୍ଟିକ୍ ନୋଟ୍ ଜାରି କରାଯିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ପ୍ରଦାନ କରିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର କେନ୍ଦ୍ରୀୟ ବୋର୍ଡର ସୁପାରିଶ ଉପରେ ଆଧାର କରି, ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ, ୧୯୩୪ର ଧାରା ୨୫ ଅନୁଯାୟୀ ୧୦ ଏବଂ ୨୦ ଟଙ୍କା ମୂଲ୍ୟର ପଲିମର ନୋଟ୍ ପାଇଁ ଏକ ପ୍ରସ୍ତାବ ଦାଖଲ କରାଯାଇଥିଲା, ଯାହାକୁ ସରକାର ଅନୁମୋଦନ କରିଛନ୍ତି। ଯୋଜନା ଅନୁଯାୟୀ ଏହି ନୋଟ୍ ଗୁଡ଼ିକର ପ୍ରଥମେ ପରୀକ୍ଷଣ କରାଯିବ। ଯଦି ପରୀକ୍ଷା ସଫଳ ହୁଏ, ତେବେ ଭବିଷ୍ୟତରେ ସେଗୁଡ଼ିକ ନିୟମିତ ଭାବରେ ଜାରି କରାଯିବ। ଆରବିଆଇ ଅନୁଯାୟୀ, ପଲିମର ନୋଟ୍ କାଗଜ ନୋଟ୍ ସହିତ ଜାରି କରାଯିବ। ଅର୍ଥାତ୍ କାଗଜ ନୋଟ୍ ବନ୍ଦ ହେବ ନାହିଁ। ପଲିମର ନୋଟ୍ ସହିତ କାଗଜ ନୋଟ୍ ବି ପୂର୍ବପରି ବଜାରରେ ଚାଲୁ ରହିବ। ଆର୍ବିଆଇ ଓ କେନ୍ଦ୍ର ସରକାର ଏ ନେଇ ସ୍ପଷ୍ଟ ଭାବରେ କହିସାରିଛନ୍ତି। ନୂଆ ପଲିମର ନୋଟ୍କୁ ପର୍ଯ୍ୟାୟକ୍ରମେ ବଜାରକୁ ଛଡ଼ାଯିବ। ତା ସହିତ କାଗଜ ନୋଟ ବି ଚାଲୁ ରହିବ। ଧୀରେ ଧୀରେ ବଜାରରେ ପଲିମର ନୋଟ କବ୍ଜା କରିବା ପରେ କାଗଜ ନୋଟ୍ ବନ୍ଦ ହେବା ନେଇ ସରକାର ନିଷ୍ପତ୍ତି ନେଇପାରନ୍ତି। ତେବେ ଏଥିପାଇଁ ସରକାର ଏକ ସର୍କୁଲାର ମଧ୍ୟ ଜାରି କରିବେ। ସର୍କୁଲାର ଜାରି ନ ହେବା ପର୍ଯ୍ୟନ୍ତ କାଗଜ ନୋଟ ପୂର୍ବପରି ଜାରି ରହିବ। ଏମିତିକି ନୂଆ ୧୦ ଓ ୨୦ ଟଙ୍କିଆ ପଲିମର ନୋଟ୍ ପ୍ରଚଳନ ପରେ ମଧ୍ୟ ପୁରୁଣା ୧୦ ଏବଂ ୨୦ ଟଙ୍କା ମୂଲ୍ୟର କାଗଜ ନୋଟ୍ ଜାରି ରହିବ। ୨୦୧୨ରେ ଭାରତରେ ପଲିମର ମୋଟ୍ ପ୍ରଚଳନ ପାଇଁ ପ୍ରଚେଷ୍ଟା କରାଯାଇଥିଲା। ହେଲେ ଟେକ୍ନିକାଲ ସମସ୍ୟା ଯୋଗୁ ଏହାକୁ ସେତେବେଳେ ସ୍ଥଗତି ରଖାଯାଇଥଲା। ତେବେ ଅଷ୍ଟ୍ରେଲିଆ, କାନାଡା, ୟୁକେ (ୟୁକେ) ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ବିଶ୍ୱର ୬୦ରୁ ଅଧିକ ଦେଶରେ ପଲିମର ନୋଟ୍ ପ୍ରଚଳନ ଜାରି ରହିଛି।
