ବାରମ୍ୱାର ଅଭିଯୋଗ ସତ୍ତ୍ୱେ ଶୁଣିଲେନି ଅଧିକାରୀ : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ
ବ୍ରହ୍ମପୁର/ଛତ୍ରପୁର,୧୧ା୮ : ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନ ଶୁଣିବାରୁ ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ବୁଗୁଡ଼ା ବ୍ଲକ ଗୌଡ଼ ସିଂଗିପୁର ଗ୍ରାମର ଜଗବନ୍ଧୁ ପ୍ରଧାନ କୀଟନାଶକ ପାନ କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଜମିଜମା ଓ କ୍ଷତିପୂରଣ ସମ୍ପର୍କିତ ଅଭିଯୋଗର ସମାଧାନ ନହେବାରୁ ସେ ଏଭଳି ଚରମ ପଦକ୍ଷେପ ଗ୍ରହଣ କରିଛନ୍ତି । ଘଟଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ଚିକିତ୍ସା ନିମନ୍ତେ ଏମକେସିଜି ମେଡ଼ିକାଲର କାଜୁଆଲିଟିରେ ଭର୍ତ୍ତି କରାଯାଇଛି । ସେଠାରେ ଜଗବନ୍ଧୁଙ୍କ ଚିକିତ୍ସା ଜାରି ରହିଥିବା ଡାକ୍ତର କହିଛନ୍ତି । ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ହେବ ଜଗବନ୍ଧୁ ପ୍ରଧାନ(୪୬) ଜମିଜମା ଓ କ୍ଷତିପୂରଣ ସମ୍ପର୍କିତ ସମସ୍ୟାର ସମ୍ମୁଖୀନ କରୁଛନ୍ତି । ସେ ଏହି ସମସ୍ୟା ନେଇ ବାରମ୍ୱାର ଜଣେ ଆରଆଇ ନିକଟକୁ ଯାଇ ନିଜ ଅଭିଯୋଗ ଜଣାଇଥିବା ବେଳେ ଅଧିକାରୀ ଜଣଙ୍କ ତାଙ୍କୁ ହଇରାଣ କରୁଥିବା ନେଇ ସେ ଅଭିଯୋଗ କରି ଆସୁଥିଲେ । ଏନେଇ ଜଗବନ୍ଧୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ଜିଲ୍ଲାର ବିଭିନ୍ନ ଅଧିକାରୀଙ୍କୁ ଜଣାଇଥିଲେ । ତେବେ ତାଙ୍କ ଅଭିଯୋଗର ସମାଧାନ ହୋଇନଥିବାରୁ ସେ ମଙ୍ଗଳବାର ଛତ୍ରପୁର ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପୁଣି ଥରେ ତାଙ୍କ ଅଭିଯୋଗ ଜଣାଇଥିଲେ । ସେଠାରୁ କୌଣସି ସନ୍ତୋଷଜନକ ଉତ୍ତର ନମିଳିବାରୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । ଦିନତମାମ ସେ କାର୍ଯ୍ୟାଳୟ ପରିସରରେ ରହିବା ପରେ ସନ୍ଧ୍ୟା ସମୟରେ ନିଜ ବ୍ୟାଗରୁ କୀଟନାଶକ ଔଷଧ ବାହାର କରି ପିଇଥିବା ଜଣାପଡ଼ିଛି । ଏହା ଦେଖି କାର୍ଯ୍ୟାଳୟରେ ଥିବା କିଛି କର୍ମଚାରୀ ଓ ଅନ୍ୟ ବ୍ୟକ୍ତି ତାଙ୍କୁ ତୁରନ୍ତ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ପରେ ଏମକେସିଜି ମେଡ଼ିକାଲରେ ଭର୍ତ୍ତି କରିଥିଲେ । ଅନ୍ୟପକ୍ଷରେ ଜମିଜମା ଓ କ୍ଷତିପୂରଣ ନେଇ ତାଙ୍କ ଅଭିଯୋଗ କ\’ଣ ଥିଲା । ପୂର୍ବରୁ ସେ କେଉଁ କେଉଁ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ, ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ ।
