ବୁଧବାର ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୧୧ା୮: ବୁଧବାର ଶ୍ରାବଣ କୃଷ୍ଣ ଅମାବାସ୍ୟା । ଏହି ପବିତ୍ର ତିଥିରେ ଶ୍ରୀମନ୍ଦିରରେ ତିନିଠାକୁରଙ୍କ ଚିତାଲାଗି ନୀତି ଅନୁଷ୍ଠିତ ହେବ । ଦାରୁବିଗ୍ରହଙ୍କୁ ଦଇତାପତି ସେବକମାନେ ରତ୍ନଚିତା ଲାଗି କରାଇବେ । ତିନିବାଡ଼ର ବାଡ଼ଗ୍ରାହୀ ଓ ଦଇତାପତି ସେବତାୟତମାନେ ଏହି ଅଳଙ୍କାର ଶ୍ରୀଅଙ୍ଗରେ ଲାଗି କରିବେ । ପ୍ରଥମ ଭୋଗମଣ୍ଡପ ଶେଷ ପରେ ଏହି ବିଶେଷ ନୀତି ସମ୍ପନ୍ନ ହେବ । ଏଥିପାଇଁ ଶ୍ରୀମନ୍ଦିରରେ ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆପାତତଃ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଥାଉ କି, ସ୍ନାନ ପୂର୍ଣ୍ଣିମାରେ ଠାକୁରେ ଅଣସର ପିଣ୍ଡିକୁ ବିଜେ କରିବାବେଳେ ରତ୍ନଚିତା ଓଲାଗି କରାଯାଇଥିଲା । ରଥରେ ମହାପ୍ରଭୁ ସୋଲଚିତା ଲାଗି ହୋଇଥିଲେ । ପରମ୍ପରା ମୁତାବକ, ଚିତାଲାଗି ଅମାବାସ୍ୟାରେ ଠାକୁରଙ୍କୁ ରତ୍ନଚିତା ଲାଗି କରାଯିବ । ଶ୍ରୀଜଗନ୍ନାଥ ମହାପ୍ରଭୁ ଶ୍ୱେତ ହୀରାଖଚିତ ସୁବର୍ଣ୍ଣ ଚିତା, ବଡ଼ଠାକୁର ଲୀଳା ଏବଂ ଦେବୀ ସୁଭଦ୍ରା ମାଣିକ ଖଚିତ ସୁବର୍ଣ୍ଣ ଚିତା ଧାରଣ କରିବେ ।

Spread the love